Unknown

 

 

 

 

 

 

 

 

 

ଜଳଦ ଚଉତିଶା

ଗୋପାଳକୃଷ୍ଣ ପଟ୍ଟନାୟକ

 

(ରାଗ - କଲ୍ୟାଣୀ ଆହାର)

 

(ଓଡ଼ିଆ ସାହିତ୍ୟର ଜଣେ ପ୍ରଖ୍ୟାତ କବି ଗୋପାଳକୃଷ୍ଣ ପଟ୍ଟନାୟକ । ବୈଷ୍ଣବମାନେ ତାଙ୍କୁ ମହାତ୍ମା ଭାବେ ଗ୍ରହଣ କରିଥା’ନ୍ତି । କବିସୂର୍ଯ୍ୟ ବଳଦେବ ରଥଙ୍କର ସେ ସମସାମୟିକ କବି । ଶହ ଶହ ଭଜନ, ଜଣାଣ, କୀର୍ତ୍ତନ, ପ୍ରାର୍ଥନା, ମନଃଶିକ୍ଷା, ଦୋଳିଗୀତ ପ୍ରଭୃତି ତାଙ୍କର ଅପୂର୍ବ ସୃଷ୍ଟି ସମ୍ଭାର । ଗୀତିମୟତା, ସାଙ୍ଗୀତିକତା ତାଙ୍କ କବିତା, ଗୀତଗୁଡ଼ିକୁ ମାଧୁର୍ଯ୍ୟ ମଣ୍ଡିତ କରିଛି । ଚଉପଦୀ ପରି କବିଙ୍କର ଚଉତିଶା ଅତ୍ୟନ୍ତ ଲୋକପ୍ରିୟତା ହାସଲ କରିଛି । ଏ ସବୁରେ ସୌନ୍ଦର୍ଯ୍ୟମୟତା, କୋମଳତା ତଥା ମାଧୁର୍ଯ୍ୟ ଦେଖିବାକୁ ମିଳିଥାଏ । ‘ଜଳଦ ଚଉତିଶା’ରେ ନାୟକ-ନାୟିକାର ବିଚ୍ଛେଦ- ବିରହଜନିତ ଯନ୍ତ୍ରଣା ସୁନ୍ଦର ଭାବେ ଫୁଟି ଉଠିଛି । ସରଳ, ସୁନ୍ଦର ଶବ୍ଦ ସଂଯୋଜନାରେ ଶ୍ରୀମଣ୍ଡିତ ହୋଇଛି ।)

 

କେଉଁ ପଥିକ ନଗରେ ବଳାହକ ଦେଖିଣ କରଇ ବିଚାର

ଖେଦେ ସେହି ନବ ବାଳା ମୋର ନାମ କରୁଥିବ କି ଉଚ୍ଚାର

ଜଳଦ, ଗୁପତ ପ୍ରୀତି ଖ୍ୟାତି ହେଲା,

ଘଟାଇ ଧାତା ଏ ଦଣ୍ଡ ଦେବ ବୋଲି କେତେଦିନରୁ ପାଞ୍ଚିଥିଲା ।୧।

ନଖ କାଞ୍ଚୁଲା ସହିତେ ସ୍ତନେ କ୍ଷତ କଲେ ଯେ କରଇ ଦର ଯେ

ଚକୋର ଈକ୍ଷଣି କି କରି ସହିଛି ନିଷ୍ଠୁର ମଦନ ଶର ଯେ

ଜଳଦ, ଛାର ଜୀବ କିମ୍ପା ରହିଛି,

ଯେବେ ଯିବି ଏଥୁ ଆଉ କି ତା ମୁଖ ଦେଖିବା ଭରସା ଦିଶୁଛି ।୨।

ଝୀନ ବସନ ପଦୁଁ ଶିର ପର୍ଯ୍ୟନ୍ତେ ଆଚ୍ଛାଦି ଥାଇ ଶୟନରେ

ନିଦ ନ ଥାଇ ମିଛେ ବୁଜି ନୟନ ହସୁଥାଇ ଚିତ୍ତ ଭିତରେ

ଜଳଦ, ଟାହି ନ ଜାଣି ମୁଁ ଡାକନ୍ତେ

ଠଣମୁଖୀ ଶୀଘ୍ରେ ଉଠି ମୋ ଲପନ ବୁଜାଇ ଧଇଲା ପଣନ୍ତେ ।୩।

 

ଭାବାର୍ଥ- (୧-୩) ବିଦେଶରେ ରହୁଥିବା କେଉଁ ଏକ ପଥିକ ମେଘକୁ ଚାହିଁ । ତା’ ପ୍ରିୟାକୁ ଝୁରୁଛି ଓ ମନରେ ବିଚାର କରୁଛି- ଦୁଃଖରେ ମୋର ସେଇ ନବବାଳା । ମୋତେ ଝୁରୁଛି କି-? ରେ ଜଳଦ, ଗୁପ୍ତ ପ୍ରୀତି ଚାରିଆଡ଼େ ବ୍ୟାପିଲା । ବୋଧ ହୁଏ, ବିଧାତା ଏମିତି ଘଟାଇ ମୋତେ ଦଣ୍ଡ ଦେବା ପାଇଁ ବିଚାର କରିଥିଲା ।

 

ନଖଦ୍ଵାରା କାଞ୍ଚୁଲା ସହିତ ତା’ ବକ୍ଷୋଜରେ କ୍ଷତ ଚିହ୍ନ କଲେ ସେ ଭୟରେ ଆକୁଳ ହୋଇପଡ଼େ । ସେ ଏବେ ନିଷ୍ଠୁର କାମ ଦେବର ଶରର ଯନ୍ତ୍ରଣାକୁ ସହିଥିବ । ରେ ଜଳଦ, ଏ ଛାର ଜୀବନ କାହିଁକି ରହିଛି କେଜାଣି ? ଏହିଠାରୁ ଯେତେବେଳେ ଯିବି, ତା’ ମୁଖକୁ ଦେଖିବା ଭରସା ଦିଶୁନାହିଁ ।

 

ଶେଯରେ ଶୋଇ ରହିଥିବ । ତା’ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଝୀନବସନ ଘୋଡ଼ାଇ ହୋଇଥିବ । ମୋତେ ଝୁରି ଝୁରି ତାକୁ ନିଦ ହେବ ନାହିଁ । ଆଖୁ ମୁଦି ମନ ମଧ୍ୟରେ ଉଲ୍ଲାସ ହେଉଥିବ । ରେ ଜଳଦ, ମୁଁ ତାକୁ ଡାକିବାରୁ, ସେ ଚନ୍ଦ୍ରମୁଖୀ ଶୀଘ୍ର ଉଠି ମୋ ମୁଖକୁ ତା’ ପଣତ କାନିରେ ବୁଜି ଧରିଲା ।

 

 

ଡେରି ଦେଇଥାଏ ଶୁକ ପଞ୍ଜରୀକି ମୋତେ ଚାହିଁବାର ମାର୍ଗରେ

ଢାଳେ ଏହିକ୍ଷଣି ପଢ଼ ବୋଲି ଗିର ଚୁମ୍ବୁଥାଇ ମୋହ ଛଳରେ

ଜଳଦଳ, ଅନାଇଁ ମଥା ପୋତିବାର,

ତରଳି ଯିବେ ଚାହିଁଲେ ଜିତେନ୍ଦ୍ରିୟ ମନୁଷ୍ୟ କେତେକ ମାତର ।୪।

ଥରେ ମୋ ପରି ରତିରେ ସେ ଭିତ୍ତିରେ ଚାହିଁଲା ତା ଛବି ଛଇକି

ଦନ୍ତଗତି କେଡ଼େ ଝଟତିରେ କରି ଭାଜିଲା ମୋ ନେତ୍ର ଦୁଇକି

ଜଳଦ, ଧନ୍ଦି ହୋଇ ଦୀପ ନାଶକୁ,

ନ ପାରଇ ବୋଲଇ ପୁଣି ସେ ଛଇଲି ଢଳି ପଡ଼ୁଥାଇ ହୃଦକୁ ।୫।

ପୂର୍ଣ୍ଣଚନ୍ଦ୍ର ମୁହିଁ ରତି ସଜ ହୋଇ ଆଳୀକି ଡାକି ଦେହଳୀକି

ଫଳ ହୃଦବାସେ ଲୁଚାଇ ଧରିଣ ବୋଇଲେ ଏକାନ୍ତେ ଦେବୁ କି

ଜଳଦ, ବିନୟ ତାକୁ କେତେ ହୋଇ,

ଭରମ ଅଙ୍ଗୀ ସେ ଅଙ୍ଗୀକାର କଲେ ଦେଇ ପଥକୁ ଚାହୁଁଥାଇ ।୬।

 

ଭାବାର୍ଥ- (୪-୬) ମୋତେ ଚାହିଁବାର ମାର୍ଗରେ ସେ ଶୁଆପଞ୍ଜରୀକି ଡେରି ଦେଇଥାଏ-। ତାକୁ ମୋ ଛଳରେ ଚୁମ୍ବନ ଦେଉଥାଏ । ରେ ଜଳଦ, ମୁଁ ତାକୁ ଚାହିଁଥିଲେ ମଥା ପୋତିଦିଏ । ତାର ଚାହାଁଣିରେ ମୁନି ଋଷିମାନେ ଟଳିଯିବେ । ମୁଁ ତ ଛାର ମନୁଷ୍ୟ ।

 

ଥରେ ମୋ ସହିତ ରତିକ୍ରୀଡ଼ାରେ ମାତିଲା । ତା’ ପରେ ସେ ତା’ ଛବିକୁ ଚାହିଁଲା । ମୋ ଦୁଇ ନେତ୍ର ତା’ରିଠାରେ ଅଟକିଗଲା । ରେ ଜଳଦ, ଅନ୍ଧାରରେ ମୋ ଛାତିକୁ ସେ ଛଇଲି ଢଳି ପଡ଼ୁଥିଲା ।

ସେ ପୂର୍ଣ୍ଣଚନ୍ଦ୍ର ମୁହିଁ ରତି ସଜ ହୋଇ ଆସିବାକୁ ଦ୍ଵାରବନ୍ଧ ନିକଟରୁ ଡାକେ । ଏକାନ୍ତରେ ଆସିବାକୁ କହେ । ରେ ଜଳଦ, ତାକୁ କେତେ ପ୍ରକାର ବିନୟ ହୋଇ କହେ । ସେଇ ଭରମ ଅଙ୍ଗୀ ମୋ କଥାରେ ରାଜି ହୋଇଗଲେ ମୁଁ ତା’ ଆସିବା ପଥକୁ ଚାହିଁଥାଏ ।

 

ମୁରୁଛିବା ଥାଉ ମୁହୂର୍ତ୍ତେ ଯେବେ ସେ ନ ଦେଖଇ ମୋର ମୁଖକୁ

ଯତନେ କେତକୀଦଳେ ଲେଖିଥାଇ ସେ ଘଡ଼ିର ଯେତେ ଦୁଃଖକୁ

ଜଳଦ, ରତ୍ୟନ୍ତେ ମୋ କରେ ତା ଦେଇ,

ଲପନ ଅଳପ ନୁଆଇଁ ମୋ ବନ୍ଧୁ ନଖରେ ନଖ ଘଷୁଥାଇ ।୭।

ବିଳରୁ ଯେସନ ବାହାର ହୁଅଇ ଜାଙ୍ଗଳିକ ଗିରେ ଫଣୀ ଯେ

ସେପରି ଉଭା ହୋଇଥାଇ ଚତ୍ୱରେ ଦୂରୁ ଶୁଣି ମୋର ବାଣୀ ଯେ

ଜଳଦ, ସେ ଭଙ୍ଗା ନୟନେ ପୂରିଛି,

ସମୀପ ମୁଁ ହେଲେ ସେ ବୋଲେ କେ ତେଣେ ଥିବପରା ଦେଖିଆସୁଛି ।୮।

ହାତ ଧରି କହୁଥାଇ ନୋହିବାକୁ ସେ ନିତିକି ନିତିକି

ହଜାଇ ଦେଲି ମୋହର ଇଚ୍ଛାରେ ମୁଁ ସୁଦିବ୍ୟ ହେବ ପିତୁଳିକି

ଜଳଦ, କ୍ଷୀଣୋଦରୀ କ୍ଷିତିଭୂଷାକୁ,

କ୍ଷେମେ କହଇ ଗୋପାଳକୃଷ୍ଣ ଆଉ କି ଆଶା ଅଛି ଦେଖିବାକୁ ।୯।

 

ଭାବାର୍ଥ- (୭-୯) ମୋ ମୁଖକୁ ମୁହୂର୍ତ୍ତେ ମଧ୍ୟ ସେ ଯଦି ନ ଦେଖିଲା, ତେବେ ସେ ଗଭୀର ଦୁଃଖରେ ଭାଙ୍ଗିପଡ଼େ । ରେ ଜଳଦ, ରତି ଶେଷରେ ମୋ ହାତରେ ହାତ ଦିଏ । ମୋ ପ୍ରିୟା ମୁଖକୁ ଅଳ୍ପ ନୁଆଁଇ ଅର୍ଥାତ୍ ମୁଖ ତଳକୁ କରି ନଖକୁ ନଖରେ ଘଷୁଥାଏ ।

 

କେଳାର ମନ୍ତ୍ରରେ ଯେମିତି ସାପ ବିଳ ମଧ୍ୟରୁ ବାହାରି ପଡ଼ିଥାଏ, ସେମିତି ଦୂରରୁ ମୋ କଥା ଶୁଣି ସେ ବାଳା ଅଗଣା ମଧ୍ୟକୁ ଚାଲି ଆସିବ । ରେ ଜଳଦ, ତା’ର ଚକ୍ଷୁରେ ଆକର୍ଷଣ ଭାବ ପୂରି ରହିଛି । ମୁଁ ଯେତେବେଳେ ତା’ ପାଖକୁ ଯାଏ, ସେ ତରତର ହୋଇ କହି ପକାଏ, କିଏ କେଉଁଠାରେ ଥିବପରା, ଦେଖି ଆସୁଛି ।

 

ସେ ହାତ ଧରି ସର୍ବଦା ନିତି ନିତି ଏହିଭଳି ନ ହେବା ପାଇଁ କହେ । ମୋର ଇଛାରେ ମୋର ଉତ୍ତମ ଦିବ୍ୟ ପିତୁଳିକୁ ହଜାଇ ଦେଲି । ରେ ଜଳଦ, ମୋର ସେଇ କ୍ଷୀଣୋଦରୀ, କ୍ଷିତିଭୂଷାକୁ ଆଉ କ’ଣ ସତରେ ଦେଖିପାରିବି ? ସେ ଆଶା ମୋର ଆଉ କ’ଣ ଅଛି ? କବି ଗୋପାଳକୃଷ୍ଣ ଏ କଥା କହିଲେ ।

Image